Unknown

ସୁଖ-ପସରା ବା ଯମ ଉପଦେଶ ।

ଶ୍ରୀ କୃଷ୍ଣଦାସ ବୈଷ୍ଣବ

 

ଶୋକେ ଦୁଃଖେ କିପାଁ ଯାଉଛି ସଢ଼ି,

ସ୍ୱର୍ଗ ସୁଖ ଲଭ ଏହାକୁ ପଢ଼ି ।

——————

 

ଯମ ଉପଦେଶ ।

ରାଗ ବସନ୍ତ ଓ କଳଶା ବାଣୀ ।

——————

ନମୋ ନମୋ ବଜେନ୍ଦ୍ର ନନ୍ଦନ ଘନଶ୍ୟାମ ।

ନମୋ ନମୋ ଦେବାଧି ଗୋବିନ୍ଦ ଅଭିରାମ ।୧।

ନମୋ ନମୋ ବୃନ୍ଦାବନବିହାରୀ ଶ୍ରୀଧର ।

ନମୋ ନମୋ ମୁକୁନ୍ଦ ଅଖିଳ କୃପାକର ।୨।

 

ନମୋ ନମୋ ଦଇତ୍ୟାରି କରୁଣା ନିଧାନ ।

ନମୋ ନମୋ ପାପହର୍ତ୍ତା କର୍ତ୍ତା ଜନାର୍ଦ୍ଦନ । ୩ ।

ନମୋ ନମୋ ଦାମୋଦର ଅବ୍ୟୟ ଅଚ୍ୟୁତ ।

ନମୋ ନମୋ ଭକ୍ତବନ୍ଧୁ ଅନାଦି ଅନନ୍ତ ।୪।

 

ନମୋ ନମୋ କଂସକେଶି ଶକଟା ଭଞ୍ଜନ ।

ନମୋ ନମୋ ଗୋପୀନାଥ ନୟନ ରଞ୍ଜନ ।୫।

ଦୟାକର ନାଥ ସୁଚିତ୍ତରେ ଅବିଘ୍ନରେ ।

କଲି ଯାହା ବର୍ଣ୍ଣନ ମୁଁ ଯଥା ସୁଲଗ୍ନରେ । ୬।

 

ସେ ବିଷୟେ ଆଜ୍ଞା ମୋତେ କର ପୀତବାସ ।

କହଇ ଶ୍ରୀକୃଷ୍ଣ ଦାସ ପୂରୁ ମନ ଆଶ ।୭।

ଅତ୍ୟନ୍ତ ନିଶ୍ଚଳ ଭାବେ ଶୁଣ ସାଧୁଜନ ।

ଇତିହାସେ ଯାହା ପୂର୍ବୁ ହୋଇଛି ବର୍ଣ୍ଣନ ।୮।

ହିରନ୍ୟ କସିପୁ ତାହା ଅନୁଜ ମରଣେ ।

କହିଅଛି ମାତା ବଧୁ ଶୋକ ନିବାରଣେ ।୯।

ସପ୍ତମ ଦ୍ଵିତୀୟ ଅଧ୍ୟା ନବ ଅକ୍ଷରରେ ।

ହୋଇଅଛି ଯଥା ମତେ ସୁଜ୍ଞାନ ପକ୍ଷରେ ।୧୦।

ତହିଁରୁ ମୁଁ ସୂଚୀ ସୂତ୍ରେ କରୁଛି ଲେଖନ ।

ଚଉଦ ଅକ୍ଷର ପଦ ନୁହେ ବର୍ଦ୍ଧମାନ ।୧୧।

ଗଦା କରେ ଧରି ହିରଣାକ୍ଷ ରବିତଳେ ।

ଯୁଦ୍ଧକରି ନୃପଙ୍କୁ ଜିଣିଲା ବାହୁବଳେ ।୧୨।

ମର୍ତ୍ତ୍ୟରେ ନ ପାଇ କ୍ଷତ୍ରୀ ପାତାଳେ ପଶିଲା ।

ନାଗବଳ ଘଉଡ଼ାଇ ଆସ୍ଥାନେ ବସିଲା ।୧୩।

ତଦଅନ୍ତେ ମଧ୍ୟ ପାତାଳକୁ କଲା ବିଜେ ।

ମିଳିଲା ବରୁଣ ପୁରେ ଅତି ଉଗ୍ରତେଜେ ।୧୪।

ଦଇତ୍ୟକୁ ଦେଖି ଜଳେ ସ୍ଵର ଭୟେ ଥରି ।

ବୋଲଇ ନ କର ଯୁଦ୍ଧ ନୁହଇ ବଇରି ।୧୫।

ତାହା ଶୁଣି ହିରଣାକ୍ଷ ନ ଘେନିଲା ମନେ ।

ନିର୍ଭିୟେ ରହିଲା ବୀର ବରୁଣ ଭୁବନେ ।୧୬।

 

ଏଥି ପୂବୁଁ ବରାହ ମୂରତି ଧରି ହରି ।

ପଡ଼ିଥିବା ସପ୍ତ ପାତାଳରୁ ବସୁନ୍ଧରୀ ।୧୭।

ଦନ୍ତଅଗ୍ରେ ଧରି ସେ ପୂରରେ ରହିଥିଲେ ।

ହିରଣାକ୍ଷ ଦର୍ପ ଦେଖି ଯୁଦ୍ଧରେ ମାଇଲେ ।୧୮।

 

ତାହାଶୁଣି ହିରଣ୍ୟକସିପୁ କୋପ କଲା ।

ହରିଙ୍କି ବିନାଶ ପାଞ୍ଚି ଦତ୍ୟ ବରଗିଲା ।୧୯।

ଆଦେଶେ ଚଳିଲେ ଦତ୍ୟେ ବନଗ୍ରାମ ପୂରି ।

ଅନେକ ନାଶିଲେ ନର ଜନ୍ତୁ ଆଦି କରି । ୨୦।

 

ଆବର ସୁଯଜ୍ଞ ଋଷିଙ୍କର ଭଗ୍ନକଲେ ।

ସ୍ଵଧର୍ମେ ଯେତେକ ଥିଲେ ତାଙ୍କୁ ନ ରଖିଲେ ।୨୧।

ଦେବ ବୃକ୍ଷ ଯେତେ ଥିଲା ପରଶୁର ଘାତେ ।

ଛେଦି ପକାଇଲେ ସବୁ ଅତି ଦୁଷ୍ଟ ଚିତ୍ତେ । ।୨୨।

 

ଏହିପରି କ୍ରମେ ଧୂର୍ତ୍ତ ହୁଅନ୍ତେ ରାକ୍ଷସ ।

ଲେଖିବାକୁ ଶେଷହେଲା ଦ୍ଵାଦଷ ବରଷ ।୨୩।

ତାହାଦେଖି ଦେବେ ଆକାଶରେ ଗତାଗତ ।

ନ ହୋଇ ଲୁଚିଲେ ତଦ ଅନ୍ତରେ ତ୍ଵରିତ ।୨୪।

 

ଘୋରବନୁ ପଶୁମାନେ ଗିରି ଦ୍ରୋଣ ଲୋଡ଼ି ।

ଲୁଚିଲେ ପ୍ରାଣର ଭୟେ ଦିବ୍ୟ ଭକ୍ଷ ଛାଡ଼ି । ୨୫।

ଏଣେ ଏତେ କର୍ମ କାଣ୍ଡ କଲେ କୋଉଣପ ।

ତେଣେ ପ୍ରେତକାର୍ଯ୍ୟ ସାରି ହିରଣ୍ୟ କସ୍ୟପ।୨୬।

 

ଅନ୍ତଃପୁରେ ବିଜେ କରୁଁଦେଖିଲା ପ୍ରତ୍ୟକ୍ଷ ।

ରୋଦନ କରନ୍ତି ମାତା ବଧୂ ଭ୍ରାତୃ ପକ୍ଷ ।୨୭।

ତାହା ଦେଖି ଭ୍ରାତା ସୂତ ଲୋଟୁଛି ଧରଣୀ ।

ଧରି ଅଙ୍କେ ବସାଇଲା ନୃପବର ଆଣି । ୨୮।

 

ଅଙ୍ଗୁ ଧୂଳି ଝାଡ଼ିଦେଲା ଅନୁରାଗ ମନେ ।

ମାତାଭ୍ରାତା ପତ୍ନୀ ପାଶେ ବସାଇ ସୁଜ୍ଞାନେ ।୨୯।

କହଇ ମଧୁରେ ବାଣୀ ଶୁଣ ତୁମ୍ଭେ କଥା ।

ନବିଚାରି ରୋଦନ କରିବା ଅଟେ ବୃଥା । ୩୦।

 

ବିଷୟ ବିପଦେ ଶତୃ ହୁଅନ୍ତି ବହୁତ ।

ହରନ୍ତି ସମ୍ପଦ ଲୋଭେ କରି ପ୍ରାଣେ ହତ । ୩୧।

ଏଥକୁ ଯୁଦ୍ଧରେ ମଲେ ସ୍ଵର୍ଗବାସ ଅଛି ।

ଶୁଣ ଏଥୁଅନ୍ତେ କଥା ଆବର କହୁଛି ।୩୨।

 

 

ବିଷ୍ଣୁମାୟା ଖେଳଘର ଶିଶୁ ଖେଳ ପରି ।

କ୍ଷଣରେ ନିର୍ମିତ କ୍ଷଣକରେ ନାଶକରି ।୩୩।

ବୁଦ୍ଧିବଳେ ବିଚାରିଲେ ସେହିପରି ହୁଏ ।

ଅକର୍ମେ ପ୍ରବେଶ ହୋଇ ଜୀବାକ୍ଳେଶ ସହେ ।୩୪।

 

କର୍ମ ଭୋଗ ଅନ୍ତେ ପୁଣି ଚଳେ କର୍ମପଥେ ।

କାହାଗଳେ ଚର୍ମ୍ମରଜ୍ଜୁ କେ ଚଢ଼ଇ ରଥେ । ୩୫।

ଏହିପରି ଗତାଗତ ହୁଏ ଘଟୁ ଜୀବ ।

ନଜାଣଇଁ କିସ ହାନି କିସ ଅବା ଲାଭ ।୩୬।

 

ମୋ ଅନୁଜ ଘଟଣା ରହିଛି ଇତିହାସେ ।

ଥିଲା ଏକ ନୃପବର ସୁଯଜ୍ଞ ନାମେ ସେ ।୩୭।

ରାଜାପଣ କରୁଥାଇ କପାଳ ଦେଶରେ ।

ସମ୍ପଦର ସୀମା ନାହିଁ କହିଲେ ନ ସରେ ।୩୮।

 

ତିନିସସ୍ତ୍ର ଯୋଜନ ଅଟଇ ତାର ପୃଥ୍ଵୀ ।

ଅଶ୍ଵ ଗଜ ଓଟ ଖର ଲକ୍ଷ ଲକ୍ଷ ରଥୀ ।୩୯।

ସେ ନୃପ ବିବେକ ପଣେ ଅଟଇ କୁଶଳ ।

ତା ସମାନେ ଜଣେ ଆଉ ନାହିଁ ରବିତଳ । ୪୦।

 

 

ବିଷ୍ଣୁଗୁଣ ବର୍ଣ୍ଣନରେ ସଦା ଅନୁରାଗୀ ।

ବର୍ଜ୍ଜିଅଛି ହୃଦୟରୁ ହିଂସାଲୋଭ ଜଗି ।୪୧।

ତଥାପି ତାହାର ବଇଭବ କର୍ମ ଶେଷ ।

ହେଲା ବିଧିବଳେ ଶତୃ ମିଳିଲା ତା ଦେଶ ।୪୨।

 

ତାହା ଜାଣି ଯଜ୍ଞରାଜା ସୈନ୍ୟ ଦଳ ଘେନି ।

ଭେଟିଲା ଶତୃକୁ ଯାଇଁ କରି ବାଦ୍ୟ ଧ୍ୱନି ।୪୩।

ବିଷମ ସଂଗ୍ରାମ ହେଲା ଦୁଇଦଳ ଭେଟେ ।

ମଲେ ଲକ୍ଷ ଲକ୍ଷ ସୈନ୍ୟ ଶୋଣି ବହେ ମୋଟେ ।୪୪।

 

ବହୁକାଳ ବହିଗଲା ବିଧି ଲେଖା କର୍ମେ ।

ଥିଲା ଯାହା କେହୁ ତାହା ଆନ କରେ ଶ୍ରମେ । ୪୫।

ବସନ୍ତ ପଞ୍ଚମୀ ଗତେ ଷଷ୍ଠଦଶ ଦିନ ।

ପଡ଼ିଲେ ସଂଗ୍ରାମେ ରାଜା ସୁଯଜ୍ଞ ପ୍ରଧାନ ।୪୬।

 

ଅବଶେଷ ସୈନ୍ୟଥିଲେ ଯେହୁ ପଳାଇଲେ ।

ରାଣୀହଂସପୁରେ ମିଳି ବାରତା କହିଲେ ।୪୭।

ଶୁଣି ଦୁଃଖେ ରାଣୀମାନେ ତେଜିଲେ ସଦନ ।

ଆବର ସଙ୍ଗରେ ଗଲେ ଜନ୍ମିତ ନନ୍ଦନ ।୪୮।

 

 

ମାତା ପୁତ୍ର ମେଳ ହୋଇ ସଂଗ୍ରାମ ଭୂମିର ।

ପ୍ରବେଶି ଦେଖିଲେ ଅଛି ନୃପ କଳେବର ।୪୯।

ପଡ଼ିଛି ବିଭ୍ରମ ହୋଇ ଧୂଳି ସର୍ବାଙ୍ଗରେ ।

ନାଶିଅଛି ବିଶେଷତଃ ବିଚିତ୍ର ରଙ୍ଗରେ ।୫୦।

 

ଖଣ୍ଡ ଖଣ୍ଡ ହୋଇଅଛି ସୁରତ୍ନ କବଚ ।

ଅଳଙ୍କାର ନାହିଁ ଅଙ୍ଗେ ଦିଶୁଛି ପ୍ରପଞ୍ଚ ।୫୧।

ରୁଧିର ବହୁଛି ତୁଣ୍ଡୁ କେଶଛିନ୍ନ ମୁଣ୍ଡେ ।

ଉଲଗ୍ନ ହୋଇଛି ଅଙ୍ଗ ବସ୍ତ୍ର ନାହିଁ ଖଣ୍ଡେ ।

 

ନୟନ ଲଲାଟେ ଲୁଚି ଦିଶେ ଭୟଙ୍କର ।

ଓଷ୍ଟରେ ଭିଡ଼ିଛି ଦନ୍ତ ଦିଶୁଛି ବାହାର ।୫୩।

ପୁଣି ନାଶାଦ୍ଵାରୁ ରକ୍ତ ସଧୀରେ ବହୁଛି ।

ଧରିଥିବା ଆୟୂଧ ଭଗ୍ନକୁ ପାଇଅଛି ।୫୪।

 

ଏମନ୍ତ ଅବସ୍ଥା ଦେଖି ସ୍ଵପତ୍ନୀ ତାହାର ।

ହୃଦରେ ପ୍ରହାରି କର ଗଡ଼ନ୍ତି ମହୀର ।୫୫।

ମହାଶୋକେ ଭୁକ୍ତ ହୋଇ ମୃତ୍ୟୁ ପିଣ୍ଡ ଧରି ।

ରୋଦନ କରନ୍ତି ଉଚ୍ଚେ ଯେସନେ କୁରରୀ ।୫୬।

 

 

କେ ବୋଲଇ ଭୋ ନାଥ ତୁମ୍ଭର ମୃତ୍ୟୁ ଦେଖି ।

କିସ ପ୍ରୟୋଜନ ଅଛି ପିଣ୍ଡେ ପ୍ରାଣ ରଖି ।୫୭।

କେ ବୋଲଇ ଅତି ଶୀଘ୍ରେ ସଙ୍ଗେ ନିଅ ମୋତେ ।

କେ ବୋଲଇ ପ୍ରାଣ ମୋର ନ ରହୁ ଜଗତେ । ୫୮।

 

କେ ବୋଲଇ ଦୟା ହୀନ ନୋହି ମୋତେ କହ ।

କେ ବୋଲଇ ଚିନ୍ତାନଳେ ଦହୁ ଅଛି ଦେହ । ୫୯।

କେ ବୋଲଇ ସୁଖ ଗଲା ଦୁଃଖ ହେଲା ମୂଳ ।

କେ ବୋଲଇ ବିଧାତା ହୋଇଲା ପ୍ରତିକୂଳ ।୬୦।

 

କେ ବୋଲେ ସୁବର୍ଣ୍ଣ ବାହୀ କରିବା ଗୋ କିସ ।

କେ ବୋଲଇ ହସ୍ତେ ଥାଉ ପଡ଼ିବା ହୁତାଶ ।୬୧।

କେ ବୋଲଇ ମୋ ମନକୁ ଅଇଲା ସେ କଥା ।

କେ ବୋଲଇ ବଞ୍ଚିଲେ ବଢ଼ିବ ମନ ବ୍ୟଥା ।୬୨।

 

କେ ବୋଲଇ ଆମ୍ଭମାନଙ୍କର କର୍ମ ଫଳ ।

ସରିଲା ଆଜହୁଁ ଥିବା ଜୀବନ ବିଫଳ ।୬୩।

ଏହି ପରି କହି ଉଚ୍ଚେ ରୋଦୁ ରାଣୀମାନେ ।

ଆବର କାନ୍ଦନ୍ତି ପୁତ୍ର ପିତା ସ୍ନେହମନେ । ୬୪।

 

 

ମହା ଗୋଳ ବଢ଼ିଲା ବେଳକୁ ବେଳ ଅତି ।

ପିଣ୍ଡ ଦାହ କରିବାକୁ ପ୍ରବେଶିଲେ ଜ୍ଞାତି ।୬୫।

ସେମାନେ ଦେଖିଲେ ୟାଙ୍କ ବିଚିତ୍ର ରୋଦନ ।

ଲେଶେ ନ ରହିଲା ଧୈର୍ଯ୍ୟ କରନ୍ତି କ୍ରନ୍ଦନ ।୬୬।

 

ତଥାପି କେତେକବେଳ ଗତରେ ବିଧିରେ ।

ଅଗ୍ନି ଯୋଗ କଲେ ପିଣ୍ଡ ଦହିବେ ସିଦ୍ଧିରେ ।୬୭।

ତାହା ଦେଖି ରାଣୀ ପୁତ୍ର ପିଣ୍ଡକୁ ଧଇଲେ ।

କେ କରିବ ଅଗ୍ନି ଦାହ ଉଚ୍ଚରେ କହିଲେ ।୬୮।

 

ଏମନ୍ତ ପ୍ରସଙ୍ଗ ଦେଖି ଜ୍ଞାତି ବନ୍ଧୁଜନେ ।

ଉପାୟ ନପାଇ ସର୍ବେ ବସିଲେ ମଉନେ ।୬୯।

ତେବେ ସେମାନଙ୍କ ଶୋକ ନିବର୍ତ୍ତ ନୋହିଲା ।

କ୍ରମାଗତେ ତିନିଦିନ ତିନିରାତ୍ର ଗଲା ।୭୦।

 

ଚତୁର୍ଥ ଦିନର ଗତେ ରଜନୀ ପ୍ରବେଶ ।

ନିବିଡ଼ ଅନ୍ଧାର ଆଚ୍ଛାଦିଲା ଦଶଦିଶ ।୭୧।

କ୍ରନ୍ଦନ ଶବଦେ ତ୍ରୟଭୁବନ କମ୍ପିଲେ ।

ସମନ ଶ୍ରବଣେ ଶୁଣି ଦୂତେ ପଚାରିଲେ ।୭୨।

 

 

ସେ କହିଲେ ଯଥା ମତେ ସ୍ୱରୂପ ବଚନ ।

ଶୁଣି ଯମ ବାହାରିଲେ ତେଜି ନିଜାସନ ।୭୩।

ବିଚାରନ୍ତି ଏମାନଙ୍କୁ ନ ବୋଧିଲେ ଯାଇଁ।

ସର୍ବେ ହତ ହେବେ ଜୀବନକୁ ଆଶା ନାହିଁ ।୭୪।

 

ଏମନ୍ତ ବିଚାରି ନିଜ ରୂପ ଗୋପ୍ୟ କଲେ ।

ସପ୍ତମ ବରଷ ଦିବ୍ୟ ବାଳକ ହୋଇଲେ ।୭୫।

କ୍ଷୁଦ୍ର ବସ୍ତ୍ର ପରିଧାନ ଅଙ୍ଗରେ ଯତନ ।

ଗଳାରେ ତୁଳସୀମାଳ ଦିଶଇ ଶୋଭନ । ୭୬।

 

ମଥାରେ କୁଞ୍ଜିତ କେଶ ଭ୍ରମର ସଦୃଶ ।

ରଙ୍ଗବତ ଯଷ୍ଟି ଖଣ୍ଡେ ଧରି କର ଦେଶ ।୭୭।

ବିନାଜାନେ ପ୍ରବେଶ ହୋଇଲେ ରଣ ସ୍ଥାନ ।

ଦେଖିଲେ ସୁଶୀଳା ଆଦି ଯେତେ ରାଣୀଜନ ।୭୮।

 

ପୁତ୍ର ସହିତରେ ମୃତ୍ୟୁ ପିଣ୍ଡ ଧରିଛନ୍ତି ।

ବନ୍ଧୁଜନମାନେ ସବୁ ଚିନ୍ତାର୍ଥୀ ଅଛନ୍ତି ।୭୯।

ରାଣୀମାନଙ୍କର ଅଗ୍ରେ ମାୟାରୀ ବାଳୁତ ।

ଉଭା ହୋଇ କହଇବଚନ ଯଥା ତତ୍ତ୍ଵ ।୮୦।

 

 

ଶୁଣ ରାଜପତ୍ନୀମାନେ ଏ ମୋର ବଚନ ।

ବୟସେ ଅଧିକ ଅଟ ବୁଦ୍ଧିବଡ଼ ସାନ । ୮୧।

ନ ଜାଣି ବିଷ୍ଣୁର ମାୟା କାନ୍ଦୁଛ କାହିଁକି ।

ଆସିଥିଲା ଜୀବ ଯହୁଁ ଗଲାଣି ତହିଁକି ।୮୨।

 

ପୂର୍ବ ଅର୍ଜିତ କରମ ସଙ୍ଗେ ଖେଳା କରି ।

ଗଲା ଇହ ଜନ୍ମ କର୍ମ ପଥ ଅନୁସରି ।୮୩।

ଏ କଥା ଜାଣନ୍ତି ଭବେ ସୁଜ୍ଞାନୀ ପଣ୍ଡିତେ ।

ତାହାଙ୍କ ମୁଖରୁ ଶୁଣି ନାହିଁ କି କିଞ୍ଚିତେ ।୮୪।

 

ରକ୍ତ ମାଂସ ଅସ୍ଥି ମିଶି ଶରୀର ନିର୍ମାଣ ।

ଏହାକୁ ଯେ ସତ୍ୟ ବୋଲି ଜାଣନ୍ତି ଯେବଣ ।୮୫।

ତାହାଙ୍କୁ କହିବା ଭବେ ଅତି ମୂଢ଼ପ୍ରାଣୀ ।

ବିଧି କୃତ କର୍ମ ଭୁକ୍ତ ତା ତତ୍ତ୍ଵ ନ ଜାଣି ।୮୬।

 

ଏ ସଂସାର ମଧ୍ୟେ ଦେହ ବହି ମୁ ବାଳକ ।

ଭ୍ରମୁଁଅଛି ନିରାଶ୍ରୟ ନାହାନ୍ତି ପାଳକ ।୮୭।

ଆଶ୍ରମ ନ କରି କାହିଁ ବୁଲେ ରବିତଳେ ।

କାଳ ଅହି ବ୍ୟାଘ୍ର ହିଂଶ୍ର ନ ଭକ୍ଷିଲେ ବଳେ । ୮୮ ।

 

 

କିବା ମୋର ଦୁଃଖ ଦେଖି ଗର୍ଭରେ ଧାରଣ ।

କରିଥିଲା ଯେହୁ ସେହୁ କରେ କି ରକ୍ଷଣ । ୮୯ ।

ବିଚିତ୍ର ଈଶ୍ଵର ଲୀଳା ସଂସାରେ ପ୍ରକାଶେ ।

ବିନାଶ ହୁଅଇ ପୁଣି କେହି ନାହିଁ ଶେଷେ । ୯୦ ।

 

କର୍ମ ମତେ ବାଳକ ହୁଅଇ ଯେବେ ରୋଗୀ ।

ମାତା ପିତା କର୍ତ୍ତା ହୋଇ ନୁହନ୍ତି ତା ଭାଗୀ । ୯୧ ।

ତଥାପି କର୍ମର ଗତେ ବାଳକ ମରଇ ।

ଉଭୟ ଜନକ ଦୁଃଖ ଅଧିକ ବଳଇ । ୯୨ ।

 

ଏଣୁକରି ପ୍ରକୃତ ନୁହଇ ମାୟା ବସ୍ତୁ ।

ମୂର୍ତ୍ତିକା ଚକ୍ରରେ ଥୋଇ ରୂପ ଗଢ଼ା ହେତୁ । ୯୩ ।

କରି ଅତି ଯତ୍ନ ବଢ଼େ ପ୍ରୟୋଜନେ ଆଣି ।

ବିନା ପ୍ରୟୋଜନ ହେଲେ ପକାନ୍ତି ଧରଣୀ । ୯୪ ।

 

ପାବକ ଯେସନେ ଦାରୁ ମଧ୍ୟରୁ ପ୍ରକାଶେ ।

ବାୟୁବଳେ ଥିବା ବନ ଅବିଳମ୍ବେ ନାଶେ । ୯୫ ।

ସେହିପରି ପାପ କର୍ମ ନାଶଇ ଜୀବକୁ ।

କ୍ଷମ ନୁହନ୍ତି ତା କେହି ଆନକରିବାକୁ ।୯୬।

 

 

ନାସାରନ୍ଧ୍ରେ ପବନ ଯେସନେ ପ୍ରକାଶଇ ।

ଘଟ ମଧ୍ୟେ ଥାଇ ମାତ୍ର ଭିନ୍ନ ପ୍ରବର୍ତ୍ତଇ । ୯୭ ।

ଆକାଶ ଯେମନ୍ତେ ବ୍ୟାପି ରହିଛି ଉପରେ ।

ଚନ୍ଦ୍ର ତାରା କେହି ସଙ୍ଗ ନୁହନ୍ତି ତାହାରେ । ୯୮ ।

 

ଏଣୁକରି ତ୍ରିଗୁଣ ଭୁକ୍ତରେ ଜୀବ ଜାତ ।

ଗମଇଁ ଯାତନା ପଥେ ଆୟୁ ହେଲେ ଗତ ।୯୯।

ତେଣୁକରି କହିଲି ଏ ସୁଯଜ୍ଞ ନୃପତି ।

ନୁହଇ ବିଅର୍ଥେ କାନ୍ଦ ନ ବୁଝି ଯୁବତି । ୧୦୦ ।

 

ପଞ୍ଚମନ ଆଦି ଶ୍ରୋତା ବକ୍ତା ଯେତେଥିଲେ ।

ସେ ସବୁ ଜୀବର ପଛେ ପଛେ ଏଥୁ ଗଲେ । ୧୦୧ ।

ମୂର୍ତ୍ତିକା ଶରୀର ଏହୁ ମୂର୍ତ୍ତିକାରେ ପଡ଼ି ।

ଅଛି ଯଥା ମତେ ଗନ୍ଧ ପଡ଼ୁଅଛି ଉଡ଼ି ।୧୦୨।

 

ତୁମ୍ଭେମାନେ ଶୋକ କର ବୃଥା କ୍ଲେଶ ପାଇଁ ।

ଜୀବ କ୍ରମେ ପ୍ରବେଶ ହେବନି ଯାଇଁ କାହିଁ ।୧୦୩ ।

ଆବର କଥାଏ ପୁଣି କହୁଚି ସିଦ୍ଧାନ୍ତ ।

ପୂର୍ବର ବଚନ ଏହୁ ହୋଇଛି ଯେମନ୍ତ । ୧୦୪ ।

 

 

ଶିଶୁଙ୍କର ପଢ଼ାବେଳେ ଶୁଣିଅଛି ମୁହିଁ ।

ପକ୍ଷୀ ମାରିବାକୁ ଦିନେ ବ୍ୟାଧ ବନେ ଯାଇଁ । ୧୦୫ ।

ହସ୍ତେ ପାଶ ଧରି ପକ୍ଷୀ ଲୋଡ଼ଇ ତ୍ଵରିତ ।

ପ୍ରତେ ହେଲା ଯେହ୍ନେ ପ୍ରବେଶିଲା କାଳଦୂତ । ୧୦୬ ।

 

ନିବିଡ଼ ଲତାକୁ ଜିଣି ବହୁଦୂର ଗଲା ।

ପକ୍ଷୀଦଳ ଦେଖି ଯତ୍ନେ ଜାଲ ବସାଇଲା । ୧୦୭ ।

କୋମଳ ଆହାର ରଖି ଜାଲର ମଧ୍ୟର ।

ଘନ ଲତା ଦେଖି ଲୁଚି ବସିଲା ଭିତର । ୧୦୮ ।

 

ସେଠାରେ କୁଲିଙ୍ଗ ପକ୍ଷୀ ପତ୍ନୀ ସଙ୍ଗେ ଘେନି ।

ବସିଥିଲା ଆନନ୍ଦରେ କରି ମୁଖ ଧ୍ୱନି । ୧୦୯ ।

ଦଇବେ ସେ ପକ୍ଷୀ ଜୀବ ଛନ୍ଦ ନ ଜାଣନ୍ତି ।

ବିଷ ଦ୍ରବ୍ୟ ହେଲେ ତାକୁ ଅମୃତ ମଣନ୍ତି । ୧୧୦ ।

 

ଲୁବ୍ଧକ ବନ୍ଧନ ଜାଲ ମଧ୍ୟରେ ଆହାର ।

ଦେଖି ନେତ୍ରେ କୁଲିଙ୍ଗ ରମଣୀ ପକ୍ଷୀ ଧୀର । ୧୧୧ ।

ପାଶ ଯୋଗେ ବନ୍ଧନ ହୋଇଲା ପାଦ ବେନି ।

ଦେଖି ମହା ବିକଳେ ପକ୍ଷିଣୀ କଲା ଧ୍ୱନି ।୧୧୨।

 

 

ତାହାଦେଖି କୁଲିଙ୍ଗ କରଇ ହା ହା କାର ।

ବୁଦ୍ଧି ନ ଦିଶଇ ବିଳପଇ ଉଚ୍ଚସ୍ଵର । ୧୧୩ ।

ବସିଥିବା ସ୍ଥାନ ତେଜି ବେଗେ ଉଡ଼ିଗଲା ।

ତହିଁ ଥିବା ଉଚ୍ଚ ବୃକ୍ଷ ଡାଳରେ ବସିଲା । ୧୧୪ ।

 

ଉର୍ଦ୍ଧ୍ଵକୁ ଅନାଇ ଛାଡ଼େ ନିଶ୍ଵାସ ପ୍ରଖର ।

ଦିଗ ନ ଦିଶଇ ନେତୃବହେ ଅଶ୍ରୁଧାର । ୧୧୫ ।

କର୍ମ ନିନ୍ଦା କରି ମୁଣ୍ଡ କଚାଡ଼ଇ ଡାଳେ ।

ବୋଇଲା ହୋଇଲା ଅସ୍ତ ପ୍ରଭାତରୁ ବଳେ । ୧୧୬ ।

 

କିସ ମୁଁ କରିବି ବୁଦ୍ଧି ନ ଦିଶଇ ଆଉ ।

କଲା ପତ୍ନୀହୀନ ଧାତା ମୋର ଜୀବ ଯାଉ । ୧୧୭ ।

କେମନ୍ତେ କରିବି ପତ୍ନୀ ହୀନେ ଗୃହବାସ ।

ଅର୍ଦ୍ଧ ଅଙ୍ଗ ନାରୀ ଅଟେ ଯେବେ ହେଲା ନାଶ । ୧୧୮ ।

 

ବସାରେ ଅନାଇ ଥିବେ ବେନି ଶିଶୁମୋର ।

ପାଞ୍ଚୁଥିବେ ମାତା ପିତା ଆଣିବେ ଆହାର । ୧୧୯ ।

ପକ୍ଷ ଉଠିନାହିଁ ଅଙ୍ଗେ କେମନ୍ତେ ବଞ୍ଚିବେ ।

ନ ଖାଇ ଆହାର ତାଙ୍କପାଇଁ କେ ସଞ୍ଚିବେ । ୧୨୦ ।

 

 

ମାତାଙ୍କୁ ନ ଦେଖି ଅତି ଆକୁଳରେ ଲୋଡ଼ି।

ନିଶ୍ଚୟେ ହୋଇବେ ନାଶ ଅବନୀରେ ପଡ଼ି । ୧୨୧ ।

ମୁଁ ତାହା ଦେଖିଲେ ଧୈର୍ଯ୍ୟ ଧରିବି କେମନ୍ତ ।

ଅଟନ୍ତି ମୋସୁତ ବେନି ସ୍ନେହ ଅତିଅନ୍ତ । ୧୨୨ ।

 

ଏମନ୍ତ ବିଚାରି ମନେ କରଇ ରୋଦନ ।

ପୁଣି ବୋଲେ କାହାସଙ୍ଗେ ଯିବି ମୁଁ ସଦନ । ୧୨୩ ।

କହୁ କହୁଁ ହତଚେତ କ୍ଷଣେ କ୍ଷଣେ ହୁଏ ।

ବେଲାହେଲା ସପ୍ତଘଡ଼ି ଗତର ସମୟେ । ୧୨୪ ।

 

ବ୍ୟାଧ ଆସି ପ୍ରବେଶ ହୋଇଲା ସେହି ସ୍ଥଳ ।

ଦେଖିଲା ଜାଲରେ ବନ୍ଦି ଅଛି ପକ୍ଷିକୁଳ । ୧୨୫ ।

କୌଶଳ ମାର୍ଗରେ ତାକୁ ଯତନେ ଧଇଲା ।

ନିର୍ମିତ ପଞ୍ଜରୀ ଥିଲା ତହିଁରେ ଥୋଇଲା । ୧୨୬ ।

 

ମହା ଆନନ୍ଦରେ ଘେନି ଗଲା ନିଜପୁରେ ।

ଜୀବ ହନ୍ତା ଲୋକ ସେହୁ ପାପେ ଦିନ ହରେ । ୧୨୭ ।

ଏଣୁକରି ଏ ବିଶ୍ଵର ଗତି ନୁହେ ସତ ।

କେ କାହାର ସଙ୍ଗନୁହେ ପଥୁକୀ ଯେମନ୍ତ ।୧୨୮।

 

 

ଶ୍ରମବଳେ ଏକ ମେଳେ ହୋଇ ବସିଥାନ୍ତି ।

ଶ୍ରମ ସାରି ଯେଝା କର୍ମ୍ମେ ପ୍ରବେଶ ହୁଅନ୍ତି । ୧୨୯ ।

ସେହିପରି ଜୀବ ଘଟ ମଧ୍ୟେ ରହିଥାଏ ।

ଆୟୁ ଶେଷ ମାତ୍ରେ ଘଟତ୍ୟାଗ କରିଯାଏ । ୧୩୦ ।

 

ଏଣୁକରି ଏ ପ୍ରସଙ୍ଗ ଜାଣି ନ ଜାଣନ୍ତି ।

ଦଇବ ନିର୍ମାଣ ସୃଷ୍ଟି ସତରେ ମଣନ୍ତି ।୧୩୧।

ପ୍ରକାଶ କଲିମୁଁ ଶିଶୁ ଏହା ତୁମ୍ଭ ଆଗେ ।

ରୋଦନ ଏଠାରେ କଲେ ତୁମ୍ଭେ ବସି ଯୁଗେ । ୧୩୨ ।

 

ତଥାପି ଉଠିବ ନାହିଁ ଏମୃତ ଶରୀର ।

ଏଥକୁ ଉପେକ୍ଷି ସର୍ବେ ଯାଅ ନିଜ ପୁର ।

ଏମନ୍ତ ବାଳକ ବାକ୍ୟ ଶୁଣି ରାଣୀମାନେ ।

ଛାଡ଼ିଲେ ପ୍ରଧାନ ମାୟା ଜ୍ଞାନ ଘେନି ମନେ । ୧୩୪ ।

 

ପୁତ୍ରସଙ୍ଗେ ଘେନି ସର୍ବେ ଗଲେ ନିଜବାସ ।

ପିଣ୍ଡକୁ ଦହନ କଲେ ଯେତେ ଜ୍ଞାତିଦାସ । ୧୩୫ ।

ଯମଉପଦେଶ ଦେଇ ଅନ୍ତର୍ଦ୍ଧାନେ ଚଳି ।

ଗଲେ ଅତି ହରଷରେ ସଞ୍ଜୀବନୀ ମିଳି । ୧୩୬ ।

 

 

ରହିଲେ ବାଳକ ରୂପତେଜି ନିଜ ରୂପେ ।

ଦଣ୍ଡିଲେ ପାପୀଙ୍କି ପାପ ହେତୁ କଲେ କଳ୍ପେ । ୧୩୭ ।

ଏତେ କହୁ ହିରନ୍ୟ କସିପୁ ମାତା ଆଦି ।

ଛାଡ଼ିଲେ ମନରୁ ଚିନ୍ତା ଜ୍ଞାନମାର୍ଗେ ଭେଦି ।୧୩୮।

 

ଯଥାମତେ କୃତକର୍ମ କଲା ଦିତୀସୁତ ।

ତଦଅନ୍ତେ ବିଷ୍ଣୁହିଂସା କଲା ଅନୁଚିତ । ୧୩୯ ।

ଏକଥା ନାରଦ ଋଷି ଇତିହାସ ବାଣୀ ।

ଅନୁରାଗେ ଯୁଧିଷ୍ଟିଙ୍କ ଅଗ୍ରତେ ବଖାଣି । ୧୪୦।

 

ସେହିକଥା କ୍ରମେ କ୍ରମେ ବିସ୍ତାର ହୋଇଲା ।

ଅତ୍ୟନ୍ତ ସୁଉକ୍ତି କଥା ସଂସାରେ ରହିଲା । ୧୪୧ ।

କହିଲା ଶ୍ରୀକୃଷ୍ଣ ଦାସ ବୈଷ୍ଣେବ ଏଗୀତ ।

ଶ୍ରୀହରି କୃପାରୁ ପଦ ଭାବରେ ରଚିତ । ୧୪୨ ।

 

ଏକଶତ ତେୟାଳିଶ ପଦରେ ଏ ଶେଶ ।

ହେଲା ସାଧୁ ଜନମାନେ ଘେନ ଦିବ୍ୟ ରସ । ୧୪୩ ।

 

ସମାପ୍ତ ।

——————